ମାତୃଭୂମି’ ଓ ‘ମାତୃଭାଷା’ ଏ ଶବ୍ଦ ଦୁଇଟି ଉଚ୍ଚାରଣ କରିବା ମାତ୍ରକେ ଯେଉଁ କବିର ଚେତନାରେ ଏକ ଅନନ୍ୟ ଶିହରଣ ଖେଳିଯାଏ ସେଇ କବିର କବିତା ପାଠକ ଭିତରେ ସୃଷ୍ଟି କରିପାରେ ଏକ ମହନୀୟ କମ୍ପନ ମାତୃଭୂମି ଓ ମାତୃଭାଷାର ପବିତ୍ର ଭାବନା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ହୃଦୟକୁ ନିତ୍ୟ ଆନ୍ଦୋଳିତ କରୁଥିଲା ସେଇଥିପାଇଁ ହିଁ ତାଙ୍କ ରଚିତ କାବ୍ୟକବିତାରେ ଜାତୀୟ ପ୍ରୀତିର ସ୍ରୋତ ପ୍ରବାହିତ ହେଇଥିଲା ନିରବଚ୍ଛିନ୍ନ ଭାବରେ ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ କୃତି ସହ ଯେଉଁ ପାଠକର ଆତ୍ମା ନିବିଡ଼ ଭାବରେ ସଂଯୁକ୍ତ ତାର ହୃଦୟରେ ସ୍ବତଃ ଜନ୍ମ ନିଏ ସ୍ବଦେଶ ପ୍ରତି ଅସାମାନ୍ୟ ଆବେଗ
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ ବର୍ଷ ଅବସରରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁରର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଅଧ୍ୟାପକ ଡ. ମଣୀନ୍ଦ୍ର କୁମାର ମେହେରଙ୍କ ଦ୍ବାରା ଲିଖିତ ସ୍ବତନ୍ତ୍ର ଆଲେଖ୍ୟ
ମହତ୍ତର ଚେତନା ସମ୍ପନ୍ନ କେଉଁ କବି ବା ଭାରତ ବର୍ଷର କଥା ଭାବି ଭାବି ବିହ୍ବଳ ନାହାନ୍ତି ? ଭାରତ ଭୂମିର ପବିତ୍ରତା, ଏ ଦେଶର ମଣିଷମାନଙ୍କ ତ୍ୟାଗ, ତିତିକ୍ଷା, ସହନଶୀଳତା, ଉଦାରତା ଓ ପ୍ରେମ କାହାର ଚିତ୍ତାକାଶକୁ ବା ଆନ୍ଦୋଳିତ କରିନାହିଁ ? ଭାରତବର୍ଷର ମହାନ୍ ଆଦର୍ଶ କବି ଗଙ୍ଗାଧରଙ୍କୁ ସ୍ତମ୍ଭୀଭୂତ କରିଥିଲା ବେଦ, ଉପନିଷଦ୍, ରାମାୟଣ, ମହାଭାରତ ପ୍ରଭୃତିରେ ଜୀବନର ଯେଉଁ ମହିମ୍ନ ଆଲୋକ ବିଚ୍ଛୁରିତ ସେ ସବୁ କବି ଚିତ୍ତକୁ କରି ଦେଇଥିଲା ଦ୍ରବୀଭୂତ ସେଇଥିପାଇଁ ସୀତା, ଶକୁନ୍ତଳା, ଇନ୍ଦୁମତୀ, ଦ୍ରୌପଦୀ, ରାମଚନ୍ଦ୍ର, ଦୁଷ୍ମନ୍ତ, ଅଜ ପ୍ରଭୃତିଙ୍କ ଚରିତ୍ର ତାଙ୍କ ସାହିତ୍ୟରେ ଏକ ଶକ୍ତିଶାଳୀ ଓ ପ୍ରଭାବଦୀପ୍ତ ତପସ୍ବିନୀ, ପ୍ରଣୟବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ, ଅଯୋଧ୍ୟା ଦୃଶ୍ୟ ଆଦି କାବ୍ୟ ଭାରତର ଅନ୍ତରାତ୍ମା ସହ ପାଠକକୁ ସଂଯୁକ୍ତ କରିଦିଏ ଭୋଗରେ ନୁହେଁ, ତ୍ୟାଗରେ ହିଁ ମଣିଷ ଜୀବନର ସାର୍ଥକତା ନିହିତ- ଏ ସତ୍ୟ ଆବିଷ୍କାର କରି ପାଠକର ଚେତନା ମୁକୁଳିତ ହୋଇଉଠେ ଅପୂର୍ବ ଭାବରେ
ନିଜ ଦେଶ ବୋଲି କେବଳ ଯେ ଭାରତକୁ କବି ଭଲ ପାଇଛନ୍ତି ତାହା ନୁହେଁ, ଭାରତୀୟ ସଂସ୍କୃତିର ମହନୀୟତାକୁ ସେ ପ୍ରାଣପୂର୍ଣ୍ଣ ଭାବରେ ଉପଲବ୍ଧି କରିଛନ୍ତି ହୃଦୟ ଅଭ୍ୟନ୍ତରର ସକଳ ସଦିଚ୍ଛା ପ୍ରକଟ କରି ଯେଉଁମାନେ ଏ ସମାଜ ପାଇଁ ଏକ ଏକ ଉଦାହରଣ ହୋଇଯାଇଛନ୍ତି ସେମାନଙ୍କ ସୂକ୍ଷ୍ମ ଚେତନାକୁ ଗଙ୍ଗାଧର ସ୍ପର୍ଶ କରିଛନ୍ତି ଅତି ନିବିଡ଼ ଭାବରେ ମହର୍ଷି ବାଲ୍ମୀକି, ବେଦବ୍ୟାସ, ମହାକବି କାଳିଦାସ ବା ଭବଭୂତିଙ୍କ ପ୍ରତି ତାଙ୍କ ଅନ୍ତରର କୃତଜ୍ଞତା ଭାବ ଯେପରି ପ୍ରକାଶିତ ହୋଇଛି, ଓଡ଼ିଶାର ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓଙ୍କ ପ୍ରତି ସେହିପରି ଭକ୍ତିଭାବ ତାଙ୍କ କବିତାର ଶବ୍ଦକୁ କରିଛି ସଜଳ ପ୍ରାଚୀନ ସାହିତ୍ୟରେ ବିଚିତ୍ର ମହାନ୍ ଚରିତ୍ର ଓ ଭାରତବର୍ଷ ସମାଜକୁ ଆଲୋକ ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ମଣିଷମାନଙ୍କ ପ୍ରତି କବିଙ୍କର ଆକର୍ଷଣ ଅତ୍ୟନ୍ତ ଗଭୀର ସେହିପରି ଏ ଦେଶର ପ୍ରକୃତିକୁ କି ନିବିଡ଼ ଭାବରେ ସେ ଭଲ ନ ପାଇଛନ୍ତି ତମସା ନଦୀର ପବିତ୍ର ଜଳଧାରା, ଗଙ୍ଗାର ଉତ୍ତାଳ ତରଙ୍ଗମାଳା, ପଧାନ ପାଟର ଜଳ ପ୍ରପାତ, ପାପକ୍ଷୟ ଘାଟ, ବାଲ୍ମୀକି ଆଶ୍ରମର କିମ୍ବ କଣ୍ବମୁନିଙ୍କ ଆଶ୍ରମର ସ୍ନିଗ୍ଧ ପରିବେଶ ଗଙ୍ଗାଧର ସାହିତ୍ୟରେ ଯେପରି ସମୁଜ୍ଜଳ ଓଡ଼ିଶାର ତଥା ପଶ୍ଚିମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେହିପରି ମାର୍ମିକ ଭାରତ ପ୍ରସିଦ୍ଧ ପ୍ରାକୃତିକ ସ୍ଥଳର ବର୍ଣ୍ଣନା ଦେବାବେଳେ ଓଡ଼ିଶାକୁ ସଂଯୁକ୍ତ କରି ଦେଉଥିଲେ ସେ ଚମତ୍କାର ରୀତିରେ ‘ତପସ୍ବିନୀ’ରେ ବାଲ୍ମୀକି ଆଶ୍ରମରେ ବର୍ଣ୍ଣନା ବେଳେ ତେଣୁ ସେ ଲେଖିଛନ୍ତି:
ଉଜ୍ଜ୍ବଳ ଚିକ୍କଣ ନୀଳ ପତର
ପୁନ୍ନାଗ- କାନନ ଶ୍ୟାମଳରେ,
ଉଡ଼ି ଉଡ଼ିଶାରୁ ଥିଲା କି ଯାଇ,
ଦେଉଥିଲା ସତୀ-ମନ ରଞ୍ଜାଇ,
ନୀଳାଚଳ ରୂପ ଧରି
ବିଜେ ଅବା ରାମ ଲଭିବାକୁ ସୀତା
ପ୍ରୀତି- ସାଗର- ଲହରୀ