ସ୍ନାନ ଯାତ୍ରା ....... ଜ୍ଯୈଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରର ସ୍ନାନ ବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରାଯାଏ। ଏହି ଦିନ ହେଉଛି ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଏହି ସ୍ନାନ ଏକ କାଠର ମଞ୍ଚ ଉପରେ ସମାପନ କରିଥିଲେ ବୋଲି ଅନେକ ଶାସ୍ତ୍ରରେ ଏହାକୁ ମଞ୍ଚ ସ୍ନାନ ବୋଲି କୁହାଯାଇଛି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିରେ ବେଦ ଧ୍ଵନି ପୂର୍ବକ ଅଭିମନ୍ତ୍ରିତ ୧୦୮ ସୁନା କଳସୀ ପବିତ୍ର ଜଳରେ ସ୍ନାନ କରନ୍ତି। ମହାପ୍ରଭୁଙ୍କର ଏହି ଆଦ୍ୟ ଲୀଳାକୁ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ। ରଥଯାତ୍ରା ପୂର୍ବରୁ ଏହି ପୂଜା ବିଧି ଶାସ୍ତ୍ରୀୟ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ସାଧାରଣ ଦିନ ମାନଙ୍କ ପରି ସମସ୍ତ ନୀତି ସମ୍ପନ୍ନ ହେଲା ପରେ ଅଳ୍ପ ସମୟ ପାଇଁ ପହୁଡ଼ ହେବା ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା ର ବିଧି ଆରମ୍ଭ ହୁଏ। ପହଣ୍ଡି ପାଇଁ ସୁଆଁସିଆ ସେବକମାନଙ୍କ ଦ୍ଵାରା ଚାରମାଳ ବନ୍ଧାଯାଏ। ପହଣ୍ଡିରେ ଆସିବା ପାଇଁ ପ୍ରଭୁଙ୍କର ସୁରକ୍ଷା ଦୃଷ୍ଟିରୁ ସେନାପଟା ଓ ବାହୁଟି ଲାଗି ହୁଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ସିଦ୍ଧ ବଳରାମ ଦାସ ଙ୍କ ସତ୍ୟବାଦୀ ର ବକୁଳ ବନରୁ ସେନାପଟା ଓ ବାହୁଟି ଲାଗି ନିମନ୍ତେ ଜ୍ଯେଷ୍ଠ ଶୁକ୍ଳ ପକ୍ଷ ନିର୍ଜଳା ଏକାଦଶୀ ତିଥିରେ ଚିହ୍ନଟ ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରି ଭୋଇ ସେବକମାନେ ଶ୍ରୀଜୀଉମାନଙ୍କୁ ସ୍ମରଣ କରି ବୃକ୍ଷ ଛେଦନ କରନ୍ତି । ତିନି ଖଣ୍ଡ କାଠ ଗଣ୍ଡିକୁ ଏମାର ମଠରୁ ଆସିଥିବା ଶଗଡ଼ ରେ ଲଦି ଏହା ଉପରେ ନୁଆ ଚାନ୍ଦୁଆ କନା ଢାଙ୍କି ସିଦ୍ଧ ବଳରାମ ଙ୍କ ମନ୍ଦିରକୁ ଅଣାଯାଇ ବକୁଳ କାଠ ଉପରେ ଟାହିଆ ଲାଗି ହୁଏ। ଏହାପରେ ସତ୍ୟବାଦୀ ରୁ ଶଗଡ଼ରେ ଶ୍ରୀକ୍ଷେତ୍ର ଅଣାଯାଇଥାଏ। ପହଣ୍ଡି ବେଳେ ସେବକମାନଙ୍କ କାନ୍ଧ ଉପରେ ମହାପ୍ରଭୁଙ୍କ ଶ୍ରୀଭୁଜ ରହୁଥିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ବକୁଳ କାଠ ପଟା ର ବାହୁଟ ଲାଗି କରାଯାଏ। ଏହି ଗୁପ୍ତ ସେବା ପରେ ରତ୍ନସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଦଇତାମାନେ କରନ୍ତି। ବର୍ଷକୁ ଥରେ ଦଇତାପତି ସେବକ ମାନେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ଶୁଦ୍ଧପୂତ ଭାବେ ଶ୍ରୀ ଜୀଉମାନଙ୍କ ସେବା କରିଥାନ୍ତି। ମହାଜନ ସେବକମାନେ ମଦନମୋହନ ଙ୍କୁ ବିଜେ କରାଇଥାନ୍ତି। ପହଣ୍ଡି ବିଜେ ସମୟରେ ସାତ ପାହାଚ ଉପରେ ଶ୍ରୀଜୀଉମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି। ଏହିଠାରେ ଟାହିଆଲାଗି ହେବା ପରେ ଦ୍ଵିତୀୟ ମଙ୍ଗଳାର୍ପଣ ହୁଏ। ତାପରେ ଠାକୁରମାନଙ୍କୁ ବନ୍ଦାପନା କରାଯାଏ। ଏହା ପରେ ପରେ ରାଘବ ଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ। ଏହା ପରେ ପନ୍ତି ଖାଇ ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ନିଜ ନିଜ ଆସ୍ଥାନରେ ବିଜେ ହୁଅନ୍ତି।ସୁଆରବଡୁ ଅମ୍ବୁଣିଆ ପାଣି ଛିଞ୍ଚନ୍ତି।ଗରାବଡୁ ସୁବର୍ଣ୍ଣ କଳସୀରେ ଶୀତଳାଦେବୀଙ୍କ ସମ୍ମୁଖସ୍ଥ ସ୍ଵର୍ଣ୍ଣକୂପରୁ ଜଳ ଆଣନ୍ତି। ଏହି କୂପର ଜଳ ବର୍ଷ ସାରା ବ୍ୟବହାର କରାଯାଇନଥିବାରୁ ତାନ୍ତ୍ରିକ ପରମ୍ପରାରେ ଏହାକୁ ଅଣତୁଠ ପାଣି ଭାବେ ଗ୍ରହଣ କରାଯାଏ। ପୁରୁଣା କାଳରେ ଛୁଆ ଟିଏ ଜନ୍ମ ଗ୍ରହଣ କଲେ ତା ଉପରେ ଦୃଷ୍ଟ ଶକ୍ତିଙ୍କ ପ୍ରଭାବ ନପଡିବା ପାଇଁ ତାକୁ ଅଣତୁଠ ପାଣି ମିଶାଇ ସ୍ନାନ କରାଇବାର ବିଧି ଥିଲା। ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହ ଙ୍କ ମଧ୍ୟରେ ସୁନା କୂପ ଅବସ୍ଥିତ। ଏହି କୂପକୁ ସିଂହ ହିଁ ସୁରକ୍ଷିତ ରଖିଥାଏ। ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହୁଏ।ସ୍ନାନ ବେଦିରେ ସ୍ନାନ ସମୟରେ ତାନ୍ତ୍ରିକ ବିଧିରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ,ଉଶୀର,ଗୋରଚନା,ଦେବଦାରୁ,ମୁଥା,ହରିତାଳ, ବାହାଡା,ଆମଳକୀ,ସଞ୍ଚିଷ୍ଠା,ତାମ୍ରପର୍ଣ୍ଣୀ,ସୋମପର୍ଣ୍ଣୀ ଓ ଲୋଧା ଆଦି ତେରଟି ପଦାର୍ଥ ମିଶ୍ରଣ କରାଯାଏ।ଯଜ୍ଞ ପରମ୍ପରାରେ ଏହି କୂଅକୁ ପ୍ରଣୀତାକୂପ କୁହାଯାଏ। ଏହି ଅଭିମନ୍ତ୍ରିତ ୧୦୮ ଗରା ଜଳରୁ ୩୫ ଗରା ଜଗନ୍ନାଥଙ୍କୁ,୩୩ ଗରା ବଳଭଦ୍ରଙ୍କୁ,୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାକୁ ପ୍ରତ୍ଯକ୍ଷ ଅବକାଶ କହନ୍ତି।ଏହାପରେ ଗଜାନନ ବେଶ ଅନୁଷ୍ଠିତ ହୁଏ।